କେନ୍ଦ୍ରାପଡ଼ା

 


#ତୁଳସୀ_କ୍ଷେତ୍ର

କନ୍ଦରାସୁରର ଏକମାତ୍ର କନ୍ୟା ଥିଲା ତୁଳସୀ। ଅସୁର ବଂଶରେ ସେ ଜନ୍ମିଥିଲେ ମଧ୍ୟ ତା’ର ଆସୁରିକ ପ୍ରବୃତ୍ତି କିଛି ନଥିଲା । ସେ ଥିଲା ଧର୍ମପରାୟଣା, ସତୀ ତଥା ପରମବୈଷ୍ଣବୀ । ପଙ୍କରୁ ଜାତ ପଦ୍ମଭଳି ଥିଲା ତା'ର ଜୀବନ । ପିତା କନ୍ଦରାସୁରର ମୃତ୍ୟୁପରେ ନିଜ ଭବିଷ୍ୟତର ଆଶା ଆକାଙ୍କ୍ଷା ନେଇ ସେ ଶରଣାପନ୍ନ ହେଲା ପ୍ରଭୁ ବଳଭଦ୍ରଙ୍କ ପାଖରେ । ତୁଳସୀର ଆକୁଳ ନିବେଦନରେ ମ୍ରିୟମାଣ ହୋଇପଡ଼ିଲେ ବଳଦେବଜୀଉ । ଶେଷରେ ପ୍ରଭୁ ବଳଦେବ ବର ପ୍ରଦାନ କଲେ ଯେ କଳିଯୁଗରେ ତା'ର ପିତା କନ୍ଦରାସୁରର ଗଣ୍ଡଦେଶ ପଡ଼ିଥିବା ସ୍ଥାନ ବଳଗଣ୍ଡି ଠାରେ ତାଙ୍କୁ ତୁଳସୀ ବୃକ୍ଷ ରୂପେ ବିବାହ କରି ସେହିଠାରେ ହିଁ ଅବସ୍ଥାନ କରିବେ । କଳିଯୁଗରେ ସେହି ତୁଳସୀ ବଣ ଭିତରୁ ପ୍ରଭୁ ବଳଭଦ୍ରଙ୍କ ମଣିବିଗ୍ରହ ମିଳିଥିଲା ବୋଲି ଏବେ ମଧ୍ୟ କିମ୍ବଦନ୍ତୀ ରହିଛି । ସିଦ୍ଧଦାସ ନାମକ ଜଣେ ଗୋପାଳ ପ୍ରଭୁ ବଳଭଦ୍ରଙ୍କ ଏହି ମଣିବିଗ୍ରହ ପ୍ରାପ୍ତ ହୋଇଥିଲେ ବୋଲିକୁହାଯାଏ। ଜନଶୃତି ଅଛି ଯେ, ସିଦ୍ଧଦାସ ପ୍ରତିଦିନ ଗାଈକୁ ନେଇ ଚରାଇବାକୁ ଯାଏ । ତନ୍ମଧ୍ୟରୁ ଗୋଟିଏ ଗାଈ ସବୁଦିନ ପ୍ରଭୁଙ୍କ ମଣିବିଗ୍ରହ ଥିବା ସ୍ଥାନରେ ଠିଆ ହୁଏ ଓ ତା’ ପନ୍ହାରୁ ଆପେ ଆପେ କ୍ଷୀର ଝରି ଆସେ । ସନ୍ଧ୍ୟାବେଳେ ଗାଈ ଦୁହିଁଲା ବେଳକୁ ବିଚରା ଗଉଡ଼ କ୍ଷୀର ପାଏ ନାହିଁ । ଘଟଣାଟି କ'ଣ ଜାଣିବା ପାଇଁ ଦିନେ ସିଦ୍ଧଦାସ ସେଇ ଗାଈଟିକୁ ଅନୁସରଣ କଲା ।

 ଗାଈଟି ଗୋଟିଏ ହୁଙ୍କା ଉପରେ କ୍ଷୀରଦାନ କରିବା ଦେଖି ଗଉଡ଼ ଆଶ୍ଚର୍ଯ୍ୟ ହୋଇଗଲା ଓ ସେଠାକୁ ଯାଇ ଦେଖେତ ହୁଙ୍କାଟିଏ । କୌତୁହଳବଶତଃ ସେ ଗୋଟିଏ ଶାବଳ ନେଇ ସେଠାରେ କ'ଣ ଅଛି ଜାଣିବା ପାଇଁ ଖୋଳିଦେବାରୁ ମହାପ୍ରଭୁଙ୍କ ଦେହରେ ବାଜି ରକ୍ତସ୍ରାବ ହେଲା । ଏହାଦେଖି ସେ ଭୟଭୀତ ହୋଇପଡ଼ିଲା ଏବଂ ମହାପ୍ରଭୁଙ୍କ ମଣିବିଗ୍ରହର ସନ୍ଧାନ ପାଇଲା । ଏବେ ମଧ୍ୟ ମଣିବିଗ୍ରହଙ୍କ ମଥାରେ ସେହି ଶାବଳର ଆଘାତ ଚିହ୍ନ ରହିଛି । ଗଉଡ଼ ସେହି ମଣିବିଗ୍ରହଙ୍କୁ ଯତ୍ନର ସହ ନେଇ ତା'ର ମାଲିକକୁ ଦେଲା । ମାଲିକ ସ୍ୱପ୍ନେଶ୍ବର ତାହାଙ୍କୁ ପାଇ ହଠାତ୍ ରାତିରେ ସ୍ୱପ୍ନରେ ଅନୁଭବ କଲେ ସାକ୍ଷାତ୍ ସେହି ମଣିବିଗ୍ରହଙ୍କୁ । ସ୍ଵପ୍ନାଦେଶ ଅନୁସାରେ ମାଲିକ ସ୍ୱପ୍ନେଶ୍ଵର ମଧୁସାଗର ନଦୀର ଦକ୍ଷିଣ ଦିଗରେ ସେହି ମଣିବିଗ୍ରହ ବଳଭଦ୍ରଙ୍କୁ ସ୍ଥାପନ କରି ପୂଜା ଆରାଧନା କଲେ । ଯେଉଁ ସ୍ଥାନରୁ ଦିଅଁଙ୍କ ମଣିବିଗ୍ରହ ମିଳିଥିଲା ତାହା ହେଉଛି ତୁଳସୀପୁର। ଏହି ପୌରାଣିକ ଆଖ୍ୟାନ ଅନୁସାରେ କେନ୍ଦ୍ରାପଡ଼ାକୁ ତୁଳସୀପୁର ବା ତୁଳସୀକ୍ଷେତ୍ର ବୋଲି କୁହାଯାଏ ।

 ଏହାବ୍ୟତୀତ ପ୍ରଭୁ ବଳଭଦ୍ର କଳିଯୁଗରେ ତୁଳସୀର ବରଣମାଳା ଗ୍ରହଣ କରିବା ପରେ ପ୍ରାଣପ୍ରିୟା ତୁଳସୀର ଅନୁରୋଧ କ୍ରମେ ଶ୍ବଶୁର କନ୍ଦରାସୁରର ନାମାନୁସାରେ ସେ ସ୍ଥାନର ନାମ ରଖିଲେ “ କନ୍ଦରାପାଡ଼ି' ବା “କନ୍ଦରାପଡ଼ା’ । ଏହି କନ୍ଦରାପାଡ଼ି ବା କନ୍ଦରାପଡ଼ା ସ୍ଥାନ ସମ୍ପର୍କରେ ମୋଗଲ ବାଦ୍‌ଶାହା ଆଉରଙ୍ଗଜେବ ରାଜସ୍ବ ବନ୍ଦୋବସ୍ତରେ ଉଲ୍ଲେଖ ଅଛି । (୪) ମହାପ୍ରଭୁ ବଳଭଦ୍ରଙ୍କ ଚନ୍ଦନ ପୁଷ୍କରିଣୀକୁ ଆଉରଙ୍ଗ ବା ଔରଙ୍ଗ ପୁଷ୍କରିଣୀ ବୋଲି ବର୍ତ୍ତମାନ ମଧ୍ୟ କୁହାଯାଉଛି । ବଳଗଣ୍ଡିରେ ଥିବା ମାଉସୀ ମା' ଘର ଓ ସାଆନ୍ତ ସାହି ର ଗୁଣ୍ଡିଚା ମନ୍ଦିର ଓ ମଣ୍ଡପର ଭଗ୍ନାବଶେଷ ମିଳୁଛି । ଶ୍ରୀବଳଦେବଜୀଉଙ୍କ ଆବିର୍ଭାବ ଯୋଗୁ କେନ୍ଦ୍ରାପଡ଼ା ହୋଇଛି ଏକ ତୀର୍ଥକ୍ଷେତ୍ର । ପୁରାଣରେ ଏହାକୁ ଗୁପ୍ତକ୍ଷେତ୍ର ବୋଲି କୁହାଯାଏ । ତେଣୁ କନ୍ଦରାସୁରର ଉତ୍ପୀଡ଼ନରୁ ଭଗବାନ ଭକ୍ତମାନଙ୍କୁ ରକ୍ଷାକରି ଯୁଗଯୁଗ ଧରି ଅକ୍ଷୟ କୀର୍ତ୍ତି ସ୍ଥାପନ କରିଥିବାରୁ ଏହାକୁ ତୁଳସୀକ୍ଷେତ୍ର, ଗୁପ୍ତକ୍ଷେତ୍ର ବା ବ୍ରହ୍ମକ୍ଷେତ୍ର ବୋଲି କୁହାଯାଏ।

କ୍ରମଶଃ.......




Comments